1 Samuel 3

ଶାମୁୟେଲଙ୍କୁ ପରମେଶ୍ୱରଙ୍କ ଆହ୍ୱାନ

1ସେ ସମୟରେ ବାଳକ ଶାମୁୟେଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କ ବାକ୍ୟ ଦୁର୍ଲଭ ଥିଲା; ପ୍ରକାଶ୍ୟ ଦର୍ଶନ ନ ଥିଲା। 2ଏହି ସମୟରେ ଏଲିଙ୍କର ଚକ୍ଷୁ ଧନ୍ଦଳା ହେବାକୁ ଲାଗିଲା, ଏଣୁ ସେ ଦେଖି ପାରିଲେ ନାହିଁ। ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ 3ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ଶାମୁୟେଲ ଶୋଇଥିଲେ, 4ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ ଡାକିଲେ; ସେ କହିଲେ, ମୁଁ ଏଠାରେ ଅଛି।

5ପୁଣି, ସେ ଏଲିଙ୍କ ନିକଟକୁ ଧାଇଁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା ? ସେ କହିଲେ, ମୁଁ ଡାକି ନାହିଁ; ଫେରିଯାଇ ଶୁଅ। ତହୁଁ ସେ ଯାଇ ଶୋଇଲେ; 6ଏଉତ୍ତାରେ ସଦାପ୍ରଭୁ ଶାମୁୟେଲ ବୋଲି ପୁନର୍ବାର ଡାକିଲେ। ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା ? ସେ ଉତ୍ତର ଦେଲେ, ହେ ପୁତ୍ର, ମୁଁ ଡାକି ନାହିଁ; ଫେରିଯାଇ ଶୁଅ।

7ସେସମୟରେ ଶାମୁୟେଲ ସଦାପ୍ରଭୁଙ୍କର ପରିଚୟ ପାଇ ନ ଥିଲେ, କିଅବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇ ନ ଥିଲା। 8ଏଉତ୍ତାରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା ? ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ।

9ତେଣୁ, ଏଲି ଶାମୁୟେଲଙ୍କୁ କହିଲେ, ଯାଇ ଶୁଅ; ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ହେ ସଦାପ୍ରଭୁ କହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ।

10ଏଉତ୍ତାରେ ସଦାପ୍ରଭୁ ଆସିଲେ, ପୁଣି, ଠିଆ ହୋଇ ଅନ୍ୟ ସମୟ ପରି ଶାମୁୟେଲ, ଶାମୁୟେଲ, ବୋଲି ଡାକିଲେ। ତେବେ ଶାମୁୟେଲ କହିଲେ, କହନ୍ତୁ; ଆପଣଙ୍କ ଦାସ ଶୁଣୁଅଛି। 11ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଦେଖ, ଆମ୍ଭେ ଇସ୍ରାଏଲ ମଧ୍ୟରେ ଏକ କର୍ମ କରିବା, ଯେ ପ୍ରତ୍ୟେକ ଲୋକ ତାହା ଶୁଣିବ, ତାହାର ଦୁଇ କର୍ଣ୍ଣ ଝାଁ ଝାଁ ହେବ।

12ଆମ୍ଭେ ଏଲି ବିରୁଦ୍ଧରେ ତାହାର ପରିବାର ବିଷୟରେ ଯାହା ଯାହା କହିଅଛୁ, ସେସମସ୍ତ ପ୍ରଥମାବଧି ଶେଷ ପର୍ଯ୍ୟନ୍ତ ସେହିଦିନ ସଫଳ କରିବା। 13ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହିଁ ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ, କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ଅଭିଶାପଗ୍ରସ୍ତ
3:13 ଅଭିଶାପଗ୍ରସ୍ତ କିମ୍ବା ପରମେଶ୍ଵରଙ୍କ ନିନ୍ଦା କରନ୍ତି
କଲେ ହେଁ ସେ ସେମାନଙ୍କୁ ଦମନ କଲା ନାହିଁ।
14ଏହେତୁ ଏଲି ବଂଶର ଅପରାଧ, ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନୋହିବ ବୋଲି ଏଲି-ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ।

15ତହୁଁ ଶାମୁୟେଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ, ତହିଁ ଉତ୍ତାରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି, ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟ କଲେ। 16ପୁଣି, ହେ ମୋହର ପୁତ୍ର ଶାମୁୟେଲ, ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି।

17ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ ? ବିନୟ କରୁଅଛି, ମୋ’ଠାରୁ ତାହା ଗୁପ୍ତ ନ କର; ସେ ଯେସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋ’ଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ। 18ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତହୁଁ ସେ କହିଲେ, ସେ ତ ସଦାପ୍ରଭୁ; ଯାହା ତାହାଙ୍କ ଦୃଷ୍ଟିରେ ଭଲ, ତାହା ସେ କରନ୍ତୁ।

19ଏଥିଉତ୍ତାରେ ଶାମୁୟେଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ଶାମୁୟେଲଙ୍କ
3:19 ଶାମୁୟେଲଙ୍କ କିମ୍ବା ସଦାପ୍ରଭୁଙ୍କ
କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ।
20ତହିଁରେ ଶାମୁୟେଲ ଯେ ସଦାପ୍ରଭୁଙ୍କ ଭବିଷ୍ୟଦ୍‍ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ। ଆହୁରି ସଦାପ୍ରଭୁ ଶୀଲୋରେ ପୁନର୍ବାର ଦର୍ଶନ ଦେଲେ; କାରଣ ସଦାପ୍ରଭୁ ଶୀଲୋରେ ଶାମୁୟେଲଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣାକୁ ପ୍ରକାଶ କଲେ।

21

Copyright information for OriULB